International Journal of Contemporary Research In Multidisciplinary, 2026;5(1):945-949
ଓଡ଼ିଶା – ଆନ୍ଧ୍ର ସୀମାନ୍ତ ଅଞ୍ଚଳର ଲୋକ କ୍ରୀଡ଼ା
Author Name: ଡକ୍ଟର ନଳିନୀ କୁମାର ପାଣିଗ୍ରାହୀ;
Abstract
ମାନବୀୟ ସଂସ୍କୃତିର ଚିରନ୍ତନ ନିର୍ଝରିଣୀ ହେଉଛି ଲୋକଜୀବନ, ଯାହାର ଅମୃତମୟୀ ଅଭିବ୍ୟକ୍ତି ଲୋକକ୍ରୀଡ଼ା ମଧ୍ୟରେ ସଂଗୁପ୍ତ । କ୍ରୀଡ଼ା କେବଳ ଶାରୀରିକ ସାମର୍ଥ୍ୟର ନିକଷ ନୁହେଁ, ବରଂ ମାନସିକ ସନ୍ତୋଷ ଓ ସାମାଜିକ ସହାବସ୍ଥାନର ଏକ ଅନନ୍ୟ ମାଧ୍ୟମ । ପ୍ରେକ୍ଷାପଟ୍ଟରେ, ପ୍ରାଚୀନ କଳିଙ୍ଗର ଐତିହାସିକ ସ୍ମୃତି ବହନ କରୁଥିବା ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ (ଯଥା: ଇଚ୍ଛାପୁର, ଜଳନ୍ତର, ପାରଳାଖେମୁଣ୍ଡି, ଚିକିଟି ଓ ଶ୍ରୀକାକୁଲମ ଆଦି)ର ଜନଜୀବନରେ ପ୍ରଚଳିତ ଲୋକକ୍ରୀଡ଼ାର ସ୍ଵରୂପ ଅତୀବ ଚିତ୍ତାକର୍ଷକ । ଉଭୟ ଓଡ଼ିଆ ଓ ତେଲୁଗୁ ଭାଷା-ସଂସ୍କୃତିର ସମନ୍ଵୟରେ ସମୃଦ୍ଧ ଏହି ଅଞ୍ଚଳର କ୍ରୀଡ଼ା ପ୍ରଣାଳୀକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି— ମୁକ୍ତ ପ୍ରାଙ୍ଗଣ କ୍ରୀଡ଼ା (ଯଥା: ବଉଚୁରି, ବାଙ୍ଗରାମୁ, ଡାଇପିଲ, ପୁଚି ଆଦି) ଏବଂ ଘରୋଇ କ୍ରୀଡ଼ା (ଯଥା: କାଚକଉଡ଼ି, ଛଟିକିଲି-ମିଟିକିଲି, ଧାଡ଼ି ଧୁକୁଡ଼ି ଆଦି) । ଏହି କ୍ରୀଡ଼ାସମୂହ ଗ୍ରାମ୍ୟ ପରିବେଶର ସରଳତା ଓ ନିରାଡ଼ମ୍ବରତାକୁ ପ୍ରତିଫଳିତ କରିବା ସହ ଆଞ୍ଚଳିକ ସାଂସ୍କୃତିକ ପରିଚୟକୁ ଉଜ୍ଜୀବିତ ରଖିଛନ୍ତି । ମାତ୍ର ବର୍ତ୍ତମାନର ଆଧୁନିକତା ଓ ପ୍ରଯୁକ୍ତିବିଦ୍ୟାର କରାଳ ଗ୍ରାସରେ ଏହି ପାରମ୍ପରିକ ଲୋକକ୍ରୀଡ଼ାଗୁଡ଼ିକ ବିଲୁପ୍ତପ୍ରାୟ । ଏହି ଗବେଷଣାତ୍ମକ ନିବନ୍ଧରେ ସୀମାନ୍ତ ଅଞ୍ଚଳର ସେହି ଅମୂଲ୍ୟ ସାଂସ୍କୃତିକ ବୈଭବର ସଂରକ୍ଷଣ, ବର୍ଗୀକରଣ ଓ ପୁନରୁଦ୍ଧାରର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରାଯାଇଛି, ଯାହା ଆଗାମୀ ପିଢ଼ି ପାଇଁ ପାରମ୍ପରିକ ଅସ୍ମିତାର ବାର୍ତ୍ତାବହ ହୋଇପାରିବ ।
Keywords
ଲୋକକ୍ରୀଡ଼ା, ସୀମାନ୍ତ ସଂସ୍କୃତି, ମୁକ୍ତ ପ୍ରାଙ୍ଗଣ କ୍ରୀଡ଼ା, ଘରୋଇ ଲୋକକ୍ରୀଡ଼ା, ସାଂସ୍କୃତିକ ସହାବସ୍ଥାନ